Spread the love

ନୂଆଦିଲ୍ଲୀ: ପଳାତକ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଏବେ ଭାରତ ପ୍ରତ୍ୟର୍ପଣ କରି ହେବ ନାହିଁ । ଏ ସମ୍ପର୍କରେ ଆଉ ଏକ ଆଇନଗତ ଜଟିଳତା ଅଛି ଓ ତାହା ଦୁର ନହେଲା ପର୍ଯ୍ୟନ୍ତ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିବା ସମ୍ଭବପର ନୁହେଁ ବୋଲି ଏଠାରେ ଥିବା ବ୍ରିଟିଶ ହାଇକମିଶନ ପକ୍ଷରୁ କୁହାଯାଇଛି । ଫଳରେ ଏହି ପଳାତକ ଶିଳ୍ପପତିଙ୍କ ଭାରତ ପ୍ରତ୍ୟର୍ପଣ ଆଶା ପୁଣି କିଛି ଦିନ ପାଇଁ ମଉଳି ଯାଇଛି । ବ୍ରିଟିଶ ହାଇକମିଶନ ପକ୍ଷରୁ ଏହି ମାମଲାକୁ ଅତ୍ୟନ୍ତ ଗୋପନୀୟ ଦର୍ଶାଯାଇ କୌଣସି ବିବରଣୀ ଦେବାକୁ ମନା କରାଯାଇଛି । ଲଣ୍ଡନ ହାଇକୋର୍ଟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରିବାକୁ ଆଦେଶ ଦେଇଥିଲେ । ତେବେ ଗତମାସରେ ସେ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କରିବା ସଂକ୍ରାନ୍ତୀୟ ମାମଲା ହାରିଯିବା ପରେ ତାଙ୍କର ଭାରତ ପ୍ରତ୍ୟର୍ପଣ ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା ଓ ଗଣମାଧ୍ୟମରେ ମଧ୍ୟ ଏ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଥିଲା । ବ୍ରିଟିଶ ହାଇକମିଶନ ଦର୍ଶାଇଥିବା ଆଇନଗତ ଜଟିଳତା କ’ଣ ତାହା ଜଣାପଡ଼ିନଥିଲେ ମଧ୍ୟ ଶରଣ ଲୋଡ଼ିବା ଏକ କାରଣ ହୋଇପାରେ ବୋଲି କୁହାଯାଉଛି । ବ୍ରିଟିଶ ଆଇନ ଅନୁଯାୟୀ ହାଇକୋର୍ଟ ବା ସୁପ୍ରିମକୋର୍ଟଙ୍କ ଆଦେଶର ୨୮ ଦିନ ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟର୍ପଣ କରାଯାଇପାରିବ । ମାତ୍ର ଯଦି ଉକ୍ତ ବ୍ୟକ୍ତି ଶରଣ ପାଇଁ ଆବେଦନ କରିଥିବେ ତେବେ ଉକ୍ତ ଆବେଦନ ଫଇସଲା ନହେବା ପର୍ଯ୍ୟନ୍ତ ତାଙ୍କୁ ପ୍ରତ୍ୟର୍ପଣ କରାଯାଇପାରିବନାହିଁ ବୋଲି ବ୍ୟବସ୍ଥା ଅଛି । ତେବେ ମାଲ୍ୟା ଶରଣ ପାଇଁ ଆବେଦନ କରିଛନ୍ତି କି ନାହିଁ ତାହା ଜଣାପଡ଼ନାହିଁ । ଏହି ୬୪ ବର୍ଷୀୟ ପଳାତକଙ୍କୁ ୯ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି । ଯଦି ତାଙ୍କୁ ପ୍ରତ୍ୟର୍ପଣ କରାଯାଇପାରିବ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ପାଇଁ ତାହା ବିଜୟ ସାବ୍ୟସ୍ତ ହେବ ।

LEAVE A REPLY

Please enter your comment!
Please enter your name here