Spread the love

ପୁନେ: ସାଧାରଣତଃ ଅଭିଭାବକ ମାନେ ପିଲାଙ୍କୁ ପାଠ ପଢ଼ିବା ପାଇଁ ଉତ୍ସାହିତ କରିଥାନ୍ତି । ମାତ୍ର ମା’ ଓ ପୁଅ ଏକ ସଙ୍ଗେ ୧୦ମ ବୋର୍ଡ ପରୀକ୍ଷା ଦେବା ଓ ପାସ କରିବା ଦେଶରେ ଆଲୋଚନାର ବିଷୟ ହୋଇଛି । ଏହିପରି ଦୃଷ୍ଟାନ୍ତମୂଳକ ଘଟଣା ଘଟିଛି ମହାରାଷ୍ଟ୍ରର ପୁନେରେ । ବାରାମତୀର ବେବି ଗୌରବ ଏହି ବିରଳ ଗୌରବ ହାସଲ କରିଛନ୍ତି । ସେ ନିଜ ୧୬ ବର୍ଷୀୟ ପୁଅ ସହ ଏକାଠି ମହାରାଷ୍ଟ୍ର ୧୦ମ ବୋର୍ଡ ପରୀକ୍ଷା ଦେଇଥିଲେ ଓ ବେବି ୬୪.୪୦ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲା ବେଳେ ତାଙ୍କ ପୁଅ ସଦାନନ୍ଦ ୭୩.୨୦ ପ୍ରତିଶତ ନମ୍ବର ରଖିଛନ୍ତି । ଗତ ଜୁଲାଇ ୨୯ରେ ମହାରାଷ୍ଟ୍ର ୧୦ମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ବେବି ଏକ କପଡ଼ା ନିର୍ମାଣକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ତାଙ୍କ ସ୍ୱାମୀ ପ୍ରଦୀପ ଗୌରବ ସ୍ଥାନୀୟ ଏକ ଖବରକାଗଜରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି । ବେବି ନିଜ ସଫଳତା ସମ୍ପର୍କରେ କହିଛନ୍ତି ଯେ କମ ବୟସରେ ବିବାହ ହେବାରୁ ସେ ଇଛା ଥାଇ ମଧ୍ୟ ୧୦ମ ପାସ କରିପାରିନଥିଲେ । ତେବେ ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ । ଫଳରେ ସେ ଚଳିତ ବର୍ଷ ନିଜ ପୁଅ ସହ ୧୦ମ ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ । ପ୍ରସ୍ତୁତିରେ ସ୍ୱାମୀ ଓ ପୁଅ ଯଥେଷ୍ଟ ସହଯୋଗ କରିଛନ୍ତି ବୋଲି ବେବି କହିଛନ୍ତି । କପଡ଼ା କମ୍ପାନୀରେ କାର୍ଯ୍ୟ କରୁଥବା ଓ ସାଂସରିକ ବାଧ୍ୟବାଧ୍ୟକତା ଯୋଗୁ ସେ କର୍ମକ୍ଷେତ୍ରକୁ ପାଠ ବହି ନେଇ ଯାଉଥିଲେ ଓ ବିରତି ସମୟରେ ପଢ଼ୁଥିଲେ । ଏପରିକି ଘରେ ରାନ୍ଧିବା ସମୟରେ ସେ ପୁଅ ସହ ମିଶି ବ୍ୟାକରଣ, ଗଣିତ ଓ ଅନ୍ୟ ବିଷୟ ପଢ଼ୁଥିଲେ ବୋଲି ବେବି କହିଛନ୍ତି ।

LEAVE A REPLY

Please enter your comment!
Please enter your name here