Spread the love

ଇସଲାମାବାଦ: ଭାରତ ନିଜ ସମ୍ବିଧାନର ୩୭୦ ଧାରାକୁ ଅଚଳ କରି ଜାମ୍ମୁ-କାଶ୍ମୀରର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କଲା ପରେ ଅର୍ଗାନାଇଜେସନ ଅଫ ଇସଲାମିକ କଣ୍ଟ୍ରିଜ(ଓଆଇସି) ସଦସ୍ୟ ରାଷ୍ଟ୍ରଙ୍କ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ଡାକିବାକୁ ପାକିସ୍ତାନ ଯେଉଁ ଅନୁରୋଧ କରିଥିଲା ତାହାକୁ ଓଆଇସି ଗୁରୁତ୍ୱ ଦେଉନଥିବାରୁ ପାକିସ୍ତାନକୁ ଝଟକା ଲାଗିଛି । ପାକିସ୍ତାନ ବିଦେଶ ମନ୍ତ୍ରୀ ସାହା ମହମ୍ମଦ କ୍ୟୁରେଶି କହିଛନ୍ତି ଏପରି ବୈଠକ ଡାକିବାକୁ ଆମେ ଓଆଇସିକୁ ଅନେକବାର ଅନୁରୋଧ କରିଛୁ । ମାତ୍ର ଏ ଯାବତ ବୈଠକ ଅନୁଷ୍ଠିତ ହୋଇନାହିଁ । ଯଦି ଓଆଇସି କାଶ୍ମୀର ନେଇ ପାକିସ୍ତାନ ଅନୁରୋଧ ଅନୁସାରେ ବୈଠକ ନ ଡାକେ ତେବେ କାଶ୍ମୀର ପ୍ରସଙ୍ଗ ଆଲୋଚନା କରିବା ପାଇଁ ପାକିସ୍ତାନ ଅନ୍ୟ ଏକ ସମ୍ମିଳନୀ ଅନୁଷ୍ଠିତ କରାଇବ । ଓଆଇସି ହେଉଛି ବିଶ୍ୱର ଇସଲାମିକ ରାଷ୍ଟ୍ର ମାନଙ୍କର ଏକ ସଙ୍ଗଠନ । ଏହାର ସଦସ୍ୟ ସଂଖ୍ୟା ୫୭ ଓ ଏହା ଜାତିସଂଘ ପରେ ଦ୍ୱିତୀୟ ବୃହତ ଅନ୍ତଃସରକାରସ୍ତରୀୟ ସଙ୍ଗଠନ । କ୍ୟୁରେଶି କହିଛନ୍ତି ଯେ ଏପରି ବୈଠକ ନହେଲେ ସେ ଏହି ପ୍ରସଙ୍ଗରେ ଆମକୁ ସମର୍ଥନ କରୁଥିବା ଇସଲାମିକ ରାଷ୍ଟ୍ର ଗୁଡ଼ିକର ବୈଠକ ଡାକିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରସ୍ତାବ ଦେବେ । ସଂଯୁକ୍ତ ଆରବ ଏମିରେଟସ(ୟୁଏଇ) କେବଳ କାଶ୍ମୀର ପ୍ରସଙ୍ଗ ଉପରେ ଏପରି ବୈଠକ ଡାକିବାକୁ ରାଜି ହେଉନାହିଁ । ଓଆଇସିରେ କୌଣସି କାର୍ଯ୍ୟ ପାଇଁ ୟୁଏଇର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ।

LEAVE A REPLY

Please enter your comment!
Please enter your name here