Spread the love

ଇସଲାମାବାଦ
କାଶ୍ମୀର ପ୍ରସଙ୍ଗରେ ସାରା ବିଶ୍ୱରୁ ଠୋକର ଖାଇବା ପରେ ପ।।କିସ୍ତାନ ବିଚଳିତ ହୋଇଯାଇଛି । ଏବେ ପାକ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ପାକ ଅଧିକୃତ କାଶ୍ମୀର(ପିଓକେ)ର ରାଜଧାନୀ ମୁଜାଫରାବାଦରେ ରାଲି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଏହା ସହିତ କ୍ୟୁରେସି କହିଛନ୍ତି ଯେ ଭାରତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶ୍ରୀନଗର ଯିବା ଲାଗି ଅନୁମତି ଦେବା ଦରକାର । ଏଥିରୁ କାଶ୍ମୀରରେ କେଉଁ ନେତାକୁ କିଭଳି ଭାବରେ ସ୍ୱାଗତ କରାଯାଉଛି ତାହା ବିଶ୍ୱ ଜାଣିପାରିବ । କ୍ୟୁରେସି ସାମ୍ବାଦିକ ସମ୍ମିଳନୀରେ ବୁଧବାର କହିଛନ୍ତି ଯେ ଆଜି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଏକ ବର୍ଷ ପୁରଣ ହୋଇଛି । ମୁଁ ପାକିସ୍ତାନୀ ବିଦେଶ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରୁଛି । ଯଦି ଆପଣଙ୍କୁ ଆପଣଙ୍କ ନୀତି ଉପରେ ଭରଷା ଅଛି ତେବେ ମୁଜାଫରାବାଦରେ କାଶ୍ମୀରବାସୀଙ୍କ ସାମ୍ନାରେ ରାଲି କରନ୍ତୁ ଏବଂ ଆପଣଙ୍କୁ କିଭଳି ଭାବରେ ସ୍ୱାଗତ କରାଯାଉଛି ଦେଖନ୍ତୁ । ଆପଣ ମଧ୍ୟ ଇମ୍ରାନ ଖାନଙ୍କୁ ଶ୍ରୀନଗର ଯିବାକୁ ଅନୁମତି ଦିଅନ୍ତୁ । ଜନମତ ସଂଗ୍ରହ ଯେତେବେଳେ ହେବା କଥା ହେବ କିନ୍ତୁ ଏବେ ରାଷ୍ଟ୍ରମୁଖ୍ୟଙ୍କ ଜନମତ ସଂଗ୍ରହ ହୋଇଯିବ । ତେବେ ଏହି ମନ୍ତବ୍ୟକୁ ନେଇ କ୍ୟୁରେସିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି । ଟ୍ୱିଟରରେ ନିଓ ନାମକ ବ୍ୟକ୍ତ ଲେଖିଛନ୍ତି ଯେ ପାକିସ୍ତାନ ରାଜନେତା ଟ୍ରୋଲ ଭଳି ହୋଇଗଲେଣି । ଏହା ସେମାନଙ୍କ ପାଇଁ ଦୁଃଖଦ ବିଷୟ । ସେମାନଙ୍କ ମତିଭ୍ରମ ହେଲାଣି । ବେକାରିଆ ମନ୍ତବ୍ୟ ଦେବା ଅପେକ୍ଷା ତାଙ୍କ ପାଖରେ ଆଉ କୌଣସି କାମ ନାହିଁ । ସେ ଯୁଦ୍ଧ ଲଢିପାରିବେ ନାହିଁ ଏବଂ ସେ ଯାହା ଚାହୁଁଛନ୍ତି ତାହା ହାସଲ କରିପାରିବେ ନାହିଁ । କୂଟନୈତିକ ଭାବେ ତାଙ୍କୁ କିଛି ମଧ୍ୟ ମିଳିନାହିଁ । ଅନ୍ୟ ଜଣେ ଲେଖିଛନ୍ତି ଯେ ପାକିସ୍ତାନ କେଉଁଠାରୁ କେଉଁଠିକି ପହଞ୍ଚି ଗଲା । କେତେବେଳେ କାଶ୍ମୀର ପାଇଁ ପରମାଣୁ ବୋମା ବ୍ୟବହାର କରିବେ ବୋଲି କହିଥିଲେ ଏବେ ନିୟନ୍ତ୍ରମ ରେଖା ବାହାରର କଥା କହୁଛନ୍ତି । ଆଉ କିଛି ଦିନ ପରେ କାଶ୍ମୀର ସମସ୍ୟା ସମାଧାନ ଲାଗି ଦୁଇ ଦେଶର କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ କବାଡି ମ୍ୟାଚ କରିବାକୁ ପାକିସ୍ତାନ ପରାମର୍ଶ ଦେବ ।

LEAVE A REPLY

Please enter your comment!
Please enter your name here