Spread the love

ନୂଆଦିଲ୍ଲୀ: ଯଦି ତିବ୍ଦତ ପାର୍ବତ୍ୟାଞ୍ଚଳରେ ଚୀନ ସହ ଆକାଶରେ ଲଢେ଼ଇ ହୁଏ ତେବେ ଫ୍ରାନ୍ସ ନିର୍ମିତ ରାଫେଲ ଯୁଦ୍ଧ ବିମାନ ଉକ୍ତ ପାର୍ବତ୍ୟାଞ୍ଚଳକୁ ନିଜ ସୁରକ୍ଷା ପାଇଁ ବ୍ୟବହାର କରି ଶତୃପକ୍ଷର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ସହ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ରକୁ ଅକାମୀ କରିପାରିବ ବୋଲି ବାୟୁ ସେନାର ପୂର୍ବତନ ମୁଖ୍ୟ ବିଏସ ଧନୋଆ କହିଛନ୍ତି । ବାଲାକୋଟ ବିମାନ ଆକ୍ରମଣର ବିନ୍ଧାଣୀ ଧନୋଆ କହିଛନ୍ତି ଯେ ଏସ-୪୦୦ କ୍ଷେପଣାସ୍ତ୍ର ସହ ରାଫେଲ ଭାରତରେ ପହଞ୍ଚିବା ପରେ ଭାରତୀୟ ବାୟୁ ସେନାର ଶକ୍ତି ଏହି ଅଞ୍ଚଳରେ ବୃଦ୍ଧି ପାଇଛି ଓ କୌଣସି ଭାରତ ବିରୋଧି ରାଷ୍ଟ୍ର ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଦୁଇ ଥର ଚିନ୍ତା କରିବ । ପାକିସ୍ତାନର ଯୁଦ୍ଧ ବିମାନକୁ ରାଫେଲ ଏସ-୪୦୦ ଦ୍ୱାରା ପାକିସ୍ତାନୀ ଆକାଶରେ ହିଁ ଧ୍ୱଂସ କରିପାରିବ । ଏଥିପାଇଁ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତୀୟ ଆକାଶକୁ ପ୍ରବେଶ କରିବା ଆବଶ୍ୟକ ନୁହେଁ । ୨୦୧୯ ଫେବୃୟାରୀ ୨୭ ବାଲାକୋଟ ବିମାନ ଆକ୍ରମଣ ବେଳେ ଯଦି ଭାରତ ନିକଟରେ ରାଫେଲ ଥା’ନ୍ତା ତେବେ ପାକିସ୍ତାନୀ ବାୟୁ ସୀମାକୁ ପ୍ରବେଶ କରିବା ଦରକାର ହୋଇନଥାନ୍ତା । ରାଫେଲର ଚମକ୍ରାରୀ ଇଲେକଟ୍ରୋନିକ୍ସ ୱାରଫେୟାର ସୁଟ ଓ ଚକମା ଦେବାର କ୍ଷମତା ଦ୍ୱାରା ଏହା ତିବ୍ଦତର ପାର୍ବତ୍ୟାଞ୍ଚଳକୁ ନିଜ ସୁରକ୍ଷା ପାଇଁ ବ୍ୟବହାର କରିପାରିବ । ଏଥିସହ ଶତୃର ବାୟୁ ସୀମାରେ ପ୍ରବେଶ କରି ଆକ୍ରମଣ କରିବା ପୂର୍ବରୁ ରାଫେଲ ଶତୃକୁ ଅନ୍ଧ କରିଦେବ । ଫ୍ରାନ୍ସ ବାୟୁ ସେନା ବ୍ୟବହାର କରୁଥିବା ରାଫେଲ ଠାରୁ ଭାରତ ପାଇଥିବା ରାଫେଲ ଅଧିକ ଉନ୍ନତ । କାରଣ ଭାରତ ଲେହ ପରି ପାର୍ବତ୍ୟାଞ୍ଚଳରେ ଯୁଦ୍ଧକୁ ଲକ୍ଷ୍ୟ ରଖି ଅଧିକ କିଛି ଉନ୍ନତ ବ୍ୟବସ୍ଥା ବରାଦ କରିଥିଲା । ଇଲେକଟ୍ରୋନିକ୍ସ ୱାରଫେୟାର ସୁଟ(ସ୍ପେକ୍ଟ୍ରା), ଉନ୍ନତ ଅସ୍ତ୍ରଶସ୍ତ୍ର ଦ୍ୱାରା ରାଫେଲ ନିଜକୁ ସୁରକ୍ଷିତ ରଖିବାକୁ ସକ୍ଷମ । ସେଥିପାଇଁ ରାଫେଲ ଚୀନ ତିବ୍ଦତରେ ମୁତୟନ କରିଥିବା ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀକୁ ଧ୍ୱଂସ କରିପାରିବ । ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀ ଧ୍ୱଂସ ହେବା ପରେ ସୁଖୋଇ, ମିରେଜ-୨୦୦୦, ଜାଗୁଆର, ଏପରିକି ମିଗ-୨୧ ଯୁଦ୍ଧ ବିମାନ ଗୁଡ଼ିକ ଚୀନ ସେନା ଉପରେ ବୋମା ବର୍ଷଣ କରିପାରିବେ । ଏହି ଅପରେସନକୁ ସାମରିକ ଭାଷାରେ ‘ଅପରେସନ ଡେଡ’ କୁହାଯାଇଥାଏ । ଯଦି କେହି ଆ୍‌କ୍ରମଣ କରିବା ପୂର୍ବରୁ ଯଦି ‘ଅପରେସନ ଡେଡ’ ନ କରେ ତେବେ ନିଜେ ଧ୍ୱଂସ ହେବା ସମ୍ଭାବନା ଅଧିକ ଥାଏ । ବିଶ୍ୱବ୍ୟାପୀ ଉନ୍ନତ ରାଷ୍ଟ୍ରର ବାୟୁ ସେନା ଶତୃ ଉପରେ ଆକ୍ରମଣ କରିବା ପୂର୍ବରୁ ‘ଅପରେସନ ଡେଡ’ କରିଥାନ୍ତି ବୋଲି ଧନୋଆ କହିଛନ୍ତି ।

LEAVE A REPLY

Please enter your comment!
Please enter your name here