Spread the love

ଭୁବନେଶ୍ୱର : ଥରେ କୋଭିଡ଼-୧୯ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଳୋକେ ଘରକୁ ଫେରୁଛନ୍ତି । ତେବେ କୋଭିଡ଼ ସେଣ୍ଟରରେ ଚିକିତ୍ସିତ ହେବାପରେ ଡ଼ିସାର୍ଜ ପୂର୍ବରୁ ଆଉ ରୋଗୀଙ୍କର କରୋନା ପରୀକ୍ଷା କରାନଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ତେବେ ଘରକୁ ଫେରିବାର ୫ ଦିନ ପରେ ମଧ୍ୟ କିଛି ଲୋକ ପୁଣି କରୋନାରେ ଆକ୍ରାନ୍ତ ହେବା ଘଟଣା ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ଆଶଙ୍କା ବଢ଼ାଇ ଦେଇଛି । ଏହାଦ୍ୱାରା ସଂକ୍ରମଣ ଅଧିକ ହେଉଥିବା ଜଣାପଡ଼ିଛି । ଏଭଳି କିଛି ଘଟଣା ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଏକ ଦୈନିକ ସମ୍ବାଦ ପତ୍ରର ଜଣେ ବରିଷ୍ଠ କର୍ମଚାରୀ ଜୁଲାଇ ୩୧ ତାରିଖରେ କରୋନା ସଂକ୍ରମିତ ହୋଇଥିବା କୋଭିଡ଼-୧୯ ପରୀକ୍ଷା ପରେ ଜାଣିବାକୁ ପାଇଥିଲେ । ତାଙ୍କୁ ଆଠଗଡ଼ କୋଭିଡ଼-୧୯ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ୧୦ ଦିନ ଧରି କୋଭିଡ଼ ସେଣ୍ଟରରେ ରହିବା ପରେ ସେ ସୁସ୍ଥ ହୋଇଥିବା ଦର୍ଶାଇ ଡାକ୍ତରମାନେ ତାଙ୍କୁ ଘରକୁ ବିଦା କରି ଦେଇଥିଲେ । ସଂପୃକ୍ତ ବ୍ୟକ୍ତି ଜଣକ ଘରକୁ ଫେରିବାର ୫ ଦିନ ପରେ ସପରିବାର ପୁଣି କରୋନା ପରୀକ୍ଷା କରାଇଥିଲେ । ତେବେ ତାଙ୍କ ପରିବାର ଲୋକଙ୍କ ନମୁନାରେ ସେମାନେ କରୋନା ମୁକ୍ତ ଥିବା ଜଣା ପଡ଼ିଥିବା ବେଳେ କର୍ମଚାରୀ ଜଣକ କିନ୍ତୁ କରୋନା ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣା ପଡ଼ିଥିଲା । ସରକାର କୋଟି କୋଟି ଟଙ୍କା ଲୋକଙ୍କ ଚିକିତ୍ସା ଲାଗି ଖର୍ଚ୍ଚ କରୁଛନ୍ତି । କରୋନା ଚିକିତ୍ସା ଓ ସଂଙ୍ଗରୋଧରେ ରହିବା ପାଇଁ ଦିନ ମଧ୍ୟ ଧାର୍ଯ୍ୟ ହୋଇଛି । ପ୍ରଥମରୁ କରୋନା ରୋଗୀ ଭଲ ହେବାପରେ ଦ୍ୱିତୀୟଥର ସେମାନଙ୍କ ପରୀକ୍ଷା କରାଯାଇ ସଂପୂର୍ଣ୍ଣ ସୁସ୍ଥ ହେବାପରେ ସେମାନଙ୍କୁ ଘରକୁ ପଠାଯାଉଥିଲା । ତେବେ ସରକାର ଇତି ମଧ୍ୟରେ ଦ୍ୱିତୀୟ ଥର ପରୀକ୍ଷା ଅନାବଶ୍ୟକ ବୋଲି ଦର୍ଶାଇ ଏହାକୁ ବନ୍ଦ କରି ଦେଇଛନ୍ତି । ଫଳରେ ସୁସ୍ଥ ହୋଇ ଘରକୁ ଫେରୁଥିବା ଲୋକେ ପ୍ରକୃତରେ ସୁସ୍ଥ ହେଉଛନ୍ତି ନାଁ ସେମାନଙ୍କ ଠାରେ କରୋନା ଲୁକ୍କାଇତ ଭାବେ ରହୁଛି ତାହା କହିବା କଷ୍ଟକର ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ରୋଗୀମାନେ ଡାକ୍ତରଖାନାରୁ ଡିସାର୍ଜ ହେବାବେଳେ ପୁନର୍ବାର ପରୀକ୍ଷା ଆବଶ୍ୟକ ବୋଲି ସବୁ ମହଲରୁ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here