Spread the love

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ସଚଳ ଅଛି ପ୍ରଜ୍ଞାନ ? ଏହି ପ୍ରଶ୍ନ ଏବେ ଭାରତୀୟ ମହାକାଶ ବିଜ୍ଞାନୀଙ୍କୁ ଚଳଚଞ୍ଚଳ କରିଛି । ୧୦ ମାସ ପୂର୍ବର ବିଫଳ ଚନ୍ଦ୍ର ଅଭିଯାନ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରେ । ଚେନ୍ନାଇର ସାନମୁଗା ସୁବ୍ରମନିୟମ ନାମକ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ସଚଳ ଅଛି ଓ କିଛି ବାଟ ଅତିକ୍ରମ କରିଛି । ଏଥିପାଇଁ ସେ ଆମେରିକୀୟ ମହାକାଶ ସଂସ୍ଥା ନାସାର ଫଟୋକୁ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି । ସେ ଗତବର୍ଷ ନାସା ଫଟୋରୁ ଲ୍ୟାଣ୍ଡର ବିକ୍ରମର ଧ୍ୱଂସାବଶେଷକୁ ଠାବ କରିଥିଲେ । ସେ ଏ ସମ୍ପର୍କରେ ଇସ୍ରୋକୁ ଏକ ଇ-ମେଲ ପଠାଇଛନ୍ତି ଓ ଇସ୍ରୋ ତାହାର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି । ଇସ୍ରୋ ଅଧ୍ୟକ୍ଷ କେ. ସିବନ କହିଛନ୍ତି ଯେ ସାନମୁଗା ଇ-ମେଲ ପଠାଇଥିବା ସତ୍ୟ । ତେବେ ନାସା ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇନାହିଁ । ସାନମୁଗାଙ୍କ ଦାବି ସମ୍ପର୍କରେ ଇସ୍ରୋ ବିଜ୍ଞାନୀ ମାନେ ଅନୁଧ୍ୟାନ କରୁଛନ୍ତି ଓ ବର୍ତ୍ତମାନ କିଛି କହି ହେବନାହିଁ ବୋଲି ସିବନ କହିଛନ୍ତି । ନାସାର ଲୁନାର ରିକନାଇଜାନ୍ସ ଅର୍ବିଟର (ଏଲଆରଓ)୨୦୧୯ ନଭେମ୍ବରରେ ପଠାଇଥିବା ଫଟୋରେ ବିକ୍ରମର ଧ୍ୱଂସାବଶେଷକୁ ଠାବ କରାଯାଇଥିଲା । ମାତ୍ର ସେଥିରେ ପ୍ରଜ୍ଞାନ ଦେଖାଯାଇନଥିଲା । ନାସା ଏଲଆରଓ ଗତ ଜାନୁଆରୀ ୪ ତାରିଖରେ ପଠାଇଥିବା ଫଟୋରେ ପ୍ରଜ୍ଞାନ ସଚଳ ଥିବା ଜଣାପଡ଼ୁଛି ଓ ଅତିକମରେ ଦୁଇ ମିଟର ପଥ ଅତିକ୍ରମ କରିଛି ବୋଲି ସାନମୁଗା ଦାବି କରିଛନ୍ତି । ସେ କହିଛନ୍ତି ଯେ ଇସ୍ରୋ ଯେଉଁ କମାଣ୍ଡ ବିକ୍ରମକୁ ପଠାଉଥିଲା ତାହାକୁ ବିକ୍ରମ ପ୍ରଜ୍ଞାନକୁ ପଠାଇଛି ଓ ସେହି କମାଣ୍ଡ ଅନୁସାରେ ପ୍ରଜ୍ଞାନ ଦୁଇ ମିଟର ପଥ ଅତିକ୍ରମ କରିଛି । ସୂଚନାଯୋଗ୍ୟ ଯେ ୨୦୧୯ ସେପ୍ଟେମ୍ବର ୭ ତାରିଖ ଭୋର ସମୟରେ ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ଓ ସେବେ ଠାରୁ ଆଉ ଯୋଗାଯୋଗ ସମ୍ଭବ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here