Spread the love

ନୂଆଦିଲ୍ଲୀ
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟାର ତଦନ୍ତ କରିବ ସିବିଆଇ । ବିହାରରେ ରୁଜୁ ମାମଲାକୁ ମୁ୍‌ମ୍ବାଇକୁ ଟ୍ରାନ୍ସଫର କରିବା ପାଇଁ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ ବୁଧବାର ଏହି ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ପାଟନାରେ ରୁଜୁ ଏଫଆଇଆରକୁ ସିବିଆଇକୁ ହସ୍ତାନ୍ତର କରିବାର ଅଧିକାର ବିହାର ସରକାରଙ୍କର ରହିଛି । ଏହି ମାମଲାରେ ସଂଗ୍ରହ କରିଥିବା ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ କୋର୍ଟ ମୁମ୍ବାଇ ପୋଲିସକୁ କହିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ ।  ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଯେକୌଣସି ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ ସିବିଆଇ କରିବ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଭୀକାଶ ସିଂହ କହିଛନ୍ତି । ଏହାଛଡ଼ା ବିହାର ସରକାର ନେଇଥିବା ପଦକ୍ଷେପ ଉପଯୁକ୍ତ ଓ ସତ୍ୟ ସାମ୍ନାକୁ ଆସିବା ଦରକାର ବୋଲି ସୁପ୍ରିମ କୋର୍ଟ ମାମଲା ପରିଚାଳନା ବେଳେ ମନ୍ତବ୍ୟ ଦେଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା କୁହେଳିକା ଏବେବି ଥମୁନାହିଁ । ପ୍ରତିଦିନ ନୂଆ ନୂଆ ବିବାଦ ସୃ୍‌ଷ୍ଟି ହେବାରେ ଲାଗିଛି । ସୁପ୍ରିମ କୋର୍ଟଙ୍କ ଏହି ରାୟ ପରେ ସୁଶାନ୍ତଙ୍କ ପରିବାର ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଥିବା ବେଳେ ସତ୍ୟ ପଦାକୁ ଆସିବ ବୋଲି ଆଶା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here