Spread the love

ନୂଆଦିଲ୍ଲୀ; କରୋନା ସଂକ୍ରମଣ ଜନିତ ଲକଡାଉନ ଯୋଗୁ ଦେଶର ବିଭନ୍ନ ପ୍ରାନ୍ତରେ ଅଟକି ଥବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଫେରାଇନେବା ପାଇଁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କୁ ୧୫ ଦିନ ଅଧିକ ସମୟ ଦେଇଛନ୍ତି । ଏଥିସହ ନିଜ ରାଜ୍ୟରେ କିପରି ସେମାନଙ୍କୁ ରୋଜଗାରର ସୁଯୋଗ ଦିଆଯିବ, କିପରି ରିଲିଫ ଦିଆଯିବ ଓ କିପରି ସେମାନଙ୍କର ପଞ୍ଜିକରଣ କରାଯାଉଛି ସେ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ମଧ୍ୟ ଅଦାଲତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଲକ୍ଷ୍ୟ ରଖି ସୁପ୍ରିମକୋର୍ଟ ଆଜି ନିଜ ଆଡ଼ୁ ଆଗତ କରିଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣୀ ବେଳେ ଅଦାଲତ ଜାଣିବାକୁ ଚାହିଁଥିଲେ ଯେ ପ୍ରବାସୀଙ୍କ ଘରବାହୁଡ଼ା ପାଇଁ ରେଳବାଇ ପକ୍ଷରୁ କେତୋଟି ଟ୍ରେନର ବ୍ୟବସ୍ଥା କରିଛି ଓ କେଉଁ ରାଜ୍ୟ କେତୋଟି ଟ୍ରେନ ମାଗିଛନ୍ତି । ଉତ୍ତରରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ଜୁନ ୩ ସୁଦ୍ଧା ରେଳବାଇ ପକ୍ଷରୁ ୪,୨୨୮ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଲାଯାଇଛି ଓ ୫୭ଲକ୍ଷ ଲୋକ ନିଜ ଘରକୁ ଫେରିଛନ୍ତି । ୪୧ ଲକ୍ଷ ସଡ଼କ ପଥରେ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ କୋଟି ଲୋକ ଘରକୁ ବାହୁଡିଛନ୍ତି । ଉତ୍ତରପ୍ରଦେଶ ଓ ବିହାରକୁ ସର୍ବାଧିକ ଟ୍ରେନ ଚଲାଯାଇଛି । ଆଉ କେତେ ପ୍ରବାସୀ ଅଟକିଛନ୍ତି ଓ ସେମାନଙ୍କ ଘରବାହୁଡ଼ା ପାଇଁ କେତେ ଟ୍ରେନ ଦରକାର ତାହାର ତାଲିକା ପ୍ରସ୍ତୁତ କରାଯାଇଛି ଓ ରାଜ୍ୟ ମାନେ ମଧ୍ୟ ନିଜସ୍ୱ ତାଲିକା ପ୍ରସ୍ତୁତ କରିଛନ୍ତି । ତାଲିକାରୁ ମହାରାଷ୍ଟ୍ର ମାତ୍ର ଗୋଟିଏ ଟ୍ରେନ ମାଗିଥିବା ଜଣାପଡ଼ୁଛି ବୋଲି ବିଚାରପତି ଅଶୋକ ଭୂଷଣ, ସଞ୍ଜୟ କିଶାନ କୌଲ ଓ ଏମ ଆର ଶାହାଙ୍କୁ ନେଇ ଗଠିତ ସଲିସିଟର ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ । ଉତ୍ତରରେ ମେହେଟ୍ଟା ‘ହଁ’ ଭରି କହିଥିଲେ ଯେ ଏବେ ସୁଦ୍ଧା ମହାରାଷ୍ଟ୍ରରୁ ୮୦୨ଟି ଟ୍ରେନ ଚଲାଯାଇଛି । ପ୍ରବାସୀଙ୍କ ପକ୍ଷରୁ କୋଲିନ ଗଞ୍ଜାଲେଜ କହିଥିଲେ ଯେ ପ୍ରବାସୀଙ୍କ ଦୁଃଖ ପଞ୍ଜିକରଣ ଯୋଗୁ ବୃଦ୍ଧି ପାଇଛି । ଦୁଇଟି ହାଇକୋର୍ଟ ମଧ୍ୟ ପଞ୍ଜିକରଣ ପ୍ରକ୍ରୀୟା ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି । ତେଣୁ ଏହି ପ୍ରକ୍ରୀୟାର ସରଳୀକରଣ କରାଯିବା ଉଚିତ ।

LEAVE A REPLY

Please enter your comment!
Please enter your name here