Spread the love

ନୂଆଦିଲ୍ଲୀ : ସଂପ୍ରତି ଭାରତର ବିଭିନ୍ନ ସହରରେ ବର୍ଷା ପରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଏକ ନୀତିଦିନିଆ ଘଟଣାରେ ପରିଣତ ହେଲାଣି । ମୁମ୍ବାଇ ସବୁଠାରୁ ଆଗରେ ଥିବା ବେଳେ ଏବେ ଏହା ପଛକୁ ନୂଆଦିଲ୍ଲୀର ନାମ ଯୋଡି ହୋଇଯାଇଛି । ଗତ କିଛିଦିନ ଧରି ମୁମ୍ବାଇ ସହରରେ ବର୍ଷା ଜଳ ତାଣ୍ଡବ ରଚାଇଥିଲା । ବୁଧବାର ପ୍ରବଳ ବର୍ଷା ହେବା ପରେ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଦୃଶ୍ୟ ଦେଖିଲେ କେହିବି ବିଶ୍ୱାସ କରିପାରିବେନି ଯେ ଭାରତର ଏହା ହେଉଛି ରାଜଧାନୀ । ଦୁଇ ଚକିଆଯାନ ଠାରୁ ଆରମ୍ଭ କରି ଚାରି ଚକିଆଯାନ ପର୍ଯ୍ୟନ୍ତ ବର୍ଷାଜଳରେ ବୁଡିଯିବା ଘଟଣା ଦିଲ୍ଲୀବାସୀଙ୍କ ପାଇଁ ନିଆରା ଅନୁଭବ ଥିଲା । ତେବେ ଖାଲି ମୁମ୍ବାଇ କି ନିୂଆଦିଲ୍ଲୀ ନୁହେଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ମହାରାଷ୍ଟ୍ରର ପୁନେ, ଗୁଜୁରାଟର ଅହମ୍ମଦାବାଦ ଠାରୁ ଆରମ୍ଭ କରି କଲିକତା, ଚେନ୍ନାଇ ଆଦି ସହରରେ ଅନୁରୂପ ଦୃଶ୍ୟ ଗତ କିଛି ବର୍ଷ ଧରି ଦେଖିବାକୁ ମିଳୁଛି । ପଶ୍ନ ଉଠୁଛି ଏଭଳି ହେବା ପଛରେ କାରଣ କଣ ରହିଛି । ଏହା ମନୁଷ୍ୟ କୃତ ନା ପ୍ରକୃତି କୃତ । ଉତ୍ତର ମଧ୍ୟ ସମସ୍ତଙ୍କୁ ଜଣା । ଏହା ମନୁଷ୍ୟ କୃତ । ଲୋକ ସଂଖ୍ୟା ଅହେତୁକ ଭାବେ ବଢ଼ିବା ପରେ ଲୋକେ ଆଉ ଆଗଭଳି ସହର ମଧ୍ୟରେ ଥିôବା ଜଳାଶୟ କିମ୍ବା ବର୍ଷାଜଳ ଠୁଳ ହେବା ଭଳି ସ୍ଥାନକୁ ମଧ୍ୟ ଛାଡିଲେ ନାହିଁ । ସମସ୍ତ ନିୟମ କାନୁନକୁ ଜଳାଞ୍ଜଳି ଦେଇ ଲୋକେ ଜଳାଶୟ ପୋତି କୋଠାବାଡି, ଫ୍ଲାଟ ଆଦି ନିର୍ମାଣ କଲେ । ତେବେ ବର୍ଷାଜଳ କେଉଁଆଡେ଼ ଯିବ ସେନେଇ କେହି ଚିନ୍ତା କରିପାରିଲେ ନାହିଁ । ପଡେ଼ାଶୀ ଲୋକ ଆମ କଥା ଚିନ୍ତା କରିବ ଏଭଳି ଭାବନା ଭିତରେ ଲୋକେ ନିଜ କଥା ଆଗ ଚିନ୍ତାକଲେ । କଳେବଳେ କୌଶଳେ ସହର ନିର୍ମାଣ ବିଭାଗରୁ ଘର ନିର୍ମାଣ ପ୍ଲାନ ହାସଲ କରି ଘର ତିଆରି କରି ଚାଲିଲେ । ସରକାରୀ ଅଫିସର ଓ ରାଜନେତାମାନେ ସବୁ ନିୟମକୁ ଜଳାଞ୍ଜଳି ଦେଇ ନିଜ ପକେଟ ଗରମ କରି ମନ ଇଚ୍ଛା ଗୃହ ନିର୍ମାଣ ଲାଗି ପ୍ଲାନ ସବୁକୁ ଗ୍ରହଣ ଯୋଗ୍ୟ କରାଇଲେ । ଏବେ ଏହାର ଫଳ ସାଧାରଣ ଲୋକେ ଭୋଗିବା ସାର ହେଉଛି । ଅନେକ ସ୍ଥାନରେ ରାସ୍ତା ଉପରେ ୩ରୁ ୪ ଫୁଟର ପାଣି ଯାଉଥିବା ଦେଖାଯାଉଛି । କୋଟି କୋଟି ଟଙ୍କାର ଯାନ ବାହାନ ମଧ୍ୟ ନଷ୍ଟ ହେଉଥିବା ବେଳେ ଅନେକସ୍ଥାନରେ ଘର ଭୂଷୁଡ଼ି ପଡୁଥିବାରୁ ଲୋକେ ମୃତାହତ ହେଉଛନ୍ତି । ସରକାର ଏନେଇ କଠୋର ନିୟମ ଆଣିବା ସହ ଅଫିସରଙ୍କ ସହ ସାଧାରଣ ଲୋକଙ୍କ ଉପରେ କଡ଼ା ଦଣ୍ଡ ବିଧାନ ନକରିବା ପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ ବୋଲି ତାଥାଭିଞ୍ଜ ମହଲରେ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here