Spread the love

ଭୁବନେଶ୍ୱର: କିଛି ବର୍ଷ ପୂର୍ବରୁ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧଙ୍କ ବିଶେଷ କିଛି ପରିଚୟ ନଥିଲା । ମାତ୍ର ସୁପ୍ରିମକୋର୍ଟ ଏକ ରାୟରେ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ମାନ୍ୟତା ଦେଇଥିଲେ । ସେହିପରି କରୋନା ସଂକ୍ରମଣ ସମୟରେ ସରକାର ଗଣମାଧ୍ୟମକୁ ଅତ୍ୟାବଶ୍ୟକ ସେବା ସଂସ୍ଥା ଘୋଷଣା କରିଛନ୍ତି । ଯେ କୌଣସି ଗରୁରୀକାଳୀନ ସ୍ଥିତିରେ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଦାୟିତ୍ୱ ଶତ ପ୍ରତିଶତ ବୃଦ୍ଧି ପାଇଥାଏ । ସୂଚନା ପାଇଁ ସାଧାରଣ ଜନତାଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ଗଣମାଧ୍ୟମ ଉପରେ ନିର୍ଭର କରିଥାନ୍ତି । ଜରୁରୀକାଳୀନ ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଜନତାକୁ ସୂଚନା ପ୍ରଦାନ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଦୁଃଖ କରୋନା ସଂକ୍ରମଣ ସମୟରେ ବୃଦ୍ଧି ପାଇଛି ଓ ଓଡ଼ିଶାରେ ଏହା ଚରମ ସୀମାରେ ପହଞ୍ଚିଛି । ଏବେ ରାଜ୍ୟରେ ୨୦ରୁ ଅଧିକ ସାମ୍ବାଦିକ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲା ବେଳେ ଦୁଇ ଜଣ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଯେଉଁ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ରାଜ୍ୟ ଦ୍ୱିତୀୟ ସର୍ବପୁରାତନ ଖବରକାଗଜର ବ୍ଲକ ସ୍ତରୀୟ ପ୍ରତିନିଧି ଥିଲେ । ତାଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି । ମାତ୍ର ସେ କାର୍ଯ୍ୟ କରୁଥିବା ସଂସ୍ଥା ତାଙ୍କ ପରିବାରକୁ ଟଙ୍କାଟିଏ ମଧ୍ୟ ଦେଇ ନାହିଁ । ସେହିପରି ଏବେ ରାଜ୍ୟର ସବୁ ଗଣମାଧ୍ୟମ ସଂସ୍ଥାରେ ବ୍ୟାପକ ଛଟେଇ ଓ ଦରମା କାଟ ଚାଲିଛି । କେଉଁଠି ପୁରା ଛଟେଇ କରିଦିଆଯାଉଛି ତ କେଉଁଠି ୭୦ ପ୍ରତିଶତ ପର୍ଯ୍ୟନ୍ତ ଦରମା କାଟ କରାଯାଉଛି । କେଉଁଠି ପୁଣି ସବୁ ପ୍ରକାରର ସୁବିଧା ସୁଯୋଗର ଉଚ୍ଛେଦ କରାଯାଉଛି । ଏମିତିରେ ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆର୍ଥିକ ସ୍ୱାସ୍ଥ୍ୟ କେବେ ବି ଭଲ ନଥିଲା । ତା’ ସାଙ୍ଗକୁ ମାଲିକ ମାନଙ୍କର କରୋନା ବାହାନାରେ କଠୋର ଆର୍ଥିକ କଟକଣା ସାମ୍ବାଦିକଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ପରି ହେଉଛି । ସୂଚନା ଦେଇ ସାଧାରଣ ଜନତାଙ୍କ ଦୁଃଖ ଲାଘବ କରୁଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିଙ୍କ ଦୁଃଖ କିଏ ବୁଝିବ ବୋଲି ସମ୍ପୃକ୍ତ ମହଲରେ ଆଲୋଚନା ହେଉଛି । କେବଳ ଏତିକି ନୁହେଁ ସବୁ ଅନ୍ୟାୟ ଅନୀତିକୁ ଲୋକଲୋଚନକୁ ଆଣୁଛନ୍ତି ବୋଲି ଖବରକାଗଜ ମାଲିକମାନେ ବିଭିନ୍ନ ସମୟରେ ଡିଣ୍ଡିମ ପିଟିଥାନ୍ତି । ମାତ୍ର ସାମ୍ବାଦିକ, ଅନ୍ୟାନ୍ୟ କର୍ମଚାରୀଙ୍କୁ ଧାର୍ଯ୍ୟ ଦର ଠାରୁ କମ୍‌ ଦରମା ଦେବା, ମିଛ ସାର୍ଟିଫିକେଟ ଦେଇ ଏ.ବି.ସି, ଅନ୍ୟ ପ୍ରସାର. ପାଠକ ସଂଖ୍ୟା ଯାଞ୍ଚ କରୁଥିବା ସଂସ୍ଥାଗୁଡ଼ିକ ଠାରୁ ସଂଖ୍ୟା ହାସଲ କରିବା ସହ ଟି.ଭି ରେଟିଂ ବଢ଼ାଇବା ପାଇଁ ସବୁ ପ୍ରକାର ଦୁଇ ନମ୍ବରୀ ପ୍ରୟାସ କରି ଉଭୟ ସରକାରୀ-ବେସରକାରୀ ବିଜ୍ଞାପନରେ କୋଟି କୋଟି ଟଙ୍କା ଠକି ନେଉଥିବା ତଥାକଥିତ ଗଣମାଧ୍ୟମର ସଂସ୍ଥାର କେତେକ ମାଲିକ ଯେ ସବୁଠାରୁ ବଡ଼ ସ୍କାମ କରୁଛନ୍ତି ତାହା ସାଧାରଣ ଜନତାଙ୍କ ଗୋଚରକୁ ଆସିପାରୁନାହିଁ । ଏପରିକି ଗତ ୨୦ ବର୍ଷ ମଧ୍ୟରେ ଗଣମାଧ୍ୟମରେ କାର୍ଯ୍ୟରତ ବହୁ କର୍ମଚାରୀ ଦୁର୍ଘଟଣା ଓ ରୋଗରେ ମୃତ୍ୟୁବରଣ କରିଥିଲେ ମଧ୍ୟ ସେମାନଙ୍କ ପରିବାରକୁ ମାଲିକମାନେ ଟଙ୍କାଟିଏ ମଧ୍ୟ ଦେଇ ନାହାନ୍ତି । ତେବେ ସରକାର ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କୁ ସାହାଯ୍ୟ କରିବାର ନଜିର ରହିଛି । ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ଏମାନଙ୍କର ଠିକା ନେଇଛନ୍ତି କି ? ଖବରକାଗଜ କରି କିଛି ଲୋକ ଶହଶହ କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ଆଉ କେତେକ କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ହୋଇଛନ୍ତି । ରାଜ୍ୟ ସରକାର ଯଦି ଦୁର୍ନିତୀକୁ ମୁଳୋତ୍ପାଟନ କରିବାକୁ ଚାହିୁଁଛନ୍ତି ତେବେ ଆଗ ଗଣମାଧ୍ୟମରେ ଚାଲିଥିବା ଦୁର୍ନିତୀକୁ ଧରନ୍ତୁ ବୋଲି ବହୁ ସାମ୍ବାଦିକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here